Friday, 28 September 2018

କୃଷିଋଣ ଛାଡ଼ ଦାବିନେଇ ବିଜେପିର ହରତାଳ


କେନ୍ଦ୍ରାପଡ଼ା, ୨୮/୯ : ଭାରତୀୟ ଜନତା ପାର୍ଟି, କେନ୍ଦ୍ରାପଡ଼ା ଜିଲ୍ଲା ସଂଗଠନ ପକ୍ଷରୁ କୃଷି ଋଣ ଛାଡ଼ ଦାବିରେ ହରତାଳ ପାଳନ କରାଯାଇଛି । କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲାର ୯ଟି ବ୍ଲକ୍ ଓ ପାଂଚଟି ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ଦିଆଯାଇଥିବା ହରତାଳ ପାଳନର ଡାକରା ପ୍ରଭାବ ପକାଇଥିବା ଦେଖାଯାଇଥିଲା । ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ୬ ଘଂଟିଆ ହରତାଳ ସମସ୍ତ ବ୍ଲକ୍ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲାର ୭୦ ଭାଗ ଚାଷଜମି ଜଳମଗ୍ନ ରହିଥିବା ବେଳେ ସମପରିମାଣର ଫସଲ ନଷ୍ଟ ହୋଇ କୃଷକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଭାଙ୍ଗିଦେଇଛି । ବ୍ୟାପକ ମାତ୍ରାରେ କ୍ଷୟକ୍ଷତି ହୋଇଥିବା ବେଳେ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇରହି ଚାଷୀମାନଙ୍କ ଦୁଃଖ ଏଡ଼ାଇ ଚାଲିଛି । କୃଷକମାନଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଜିଲ୍ଲାର ସମସ୍ତ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏହି ହରତାଳ ପାଳନ କରାଯାଇଥିଲା । କେନ୍ଦ୍ରାପଡ଼ା ତିନିମୁହାଣୀ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭୁବନ ମୋହନ ଜେନା, ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁ, ପୂର୍ବତନ ବିଧାୟକ ଉକ୍ରଳ କେଶରୀ ପରିଡ଼ା, ଅଲେଖ ଚନ୍ଦ୍ର ଜେନା, ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ବ୍ରଜସୁନ୍ଦର ଭୂୟାଁ, ପୂର୍ବତନ ଜିଲ୍ଲା ସଭାପତି ତଥା ସାଧାରଣ ସମ୍ପାଦିକା ଗୀତାଂଜଳି ସେଠୀ, ଭୁବନ ମୋହନ ସିଂହ, ଦିଲ୍ଲୀପ କୁମାର ଦାସ, ନେହେରୁ ସାହୁ, ଶଶାଙ୍କ ଶେଖର ସେଠୀ, ପ୍ରଦୀପ ନାୟକ, ରାଜେନ୍ଦ୍ର ପତ୍ରୀ, ନୃସିଂହ ଚରଣ ପତ୍ରୀ, ଅମିତାଭ ସୁଆର, ସରୋଜ ପତି, କରୁଣାକର ସାହୁ, ହେମନ୍ତ ପରିଡ଼ା ପ୍ରମୁଖ ଜିଲ୍ଲା ସଦର ମହକୁମାରେ ନେତୃତ୍ୱ ନେଇଥିଲେ । ସେହିଭଳି କେନ୍ଦ୍ରାପଡ଼ାର ବାରୋ ଠାରେ ପଂଚାୟତ ସଭାପତି ଦାମ ସ୍ୱାଇଁ, ଦେବେଶ ଦାସ, କେଶବ ସ୍ୱାଇଁ, ପ୍ରମୋଦ କୁମାର ପରିଡ଼ା, ସଂଜୀବ ମଲିକ, କୈଳାସ ସୂତାର, ମଂଗୁଳି ମଲିକ, ଭରତ ମଲିକ, ମଂଟୁ ବିଶ୍ୱାଳ, କେଦାର ସ୍ୱାଇଁ, ଶତ୍ରଘନ ବେହେରା ପ୍ରମୁଖ ନେତୃତ୍ୱ ନେଇ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।

Sunday, 23 September 2018

ବାଂଲାଦେଶୀ ଅନୁପ୍ରବେଶ ଓ ତାହାର ପ୍ରଭାବ ଆଲୋଚନା ଚକ୍ର


କେନ୍ଦ୍ରାପଡା, ୨୩ ।୯: ରାଷ୍ଟ୍ରବାଦୀ ବିଚାରମଞ୍ଚ ଏବଂ ପ୍ରଗନ୍ୟା ଶିକ୍ଷା ଫାଉଣ୍ଡେସନ ନୂଆଦିଲ୍ଳୀ ମିଳିତ ଆନୁକୂଲ୍ୟରେ ଗତ ରବିବାର କେନ୍ଦ୍ରାପଡା ବ୍ଲକ୍‍ ଗରାପୁର ଛକ ସ୍ୱୟଂସିଦ୍ଧା ସେଲିବ୍ରେସନ ପରିସରରେ ବାଂଲାଦେଶୀ ଅନୁପ୍ରବେଶ ଏବଂ ତାହାର ପ୍ରଭାବ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଗନ୍ୟା ଶିକ୍ଷା ଫାଉଣ୍ଡେସନ୍‍ ଆବାହକ ପ୍ରସନ୍ନ କୁମାର ପରିଡାଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ତଥା ରାଜ୍ୟ ବିଶ୍ୱହିନ୍ଦୁ ପରିଷଦ ଅଧ୍ୟକ୍ଷ ଅରୁଣ କୁମାର ଉପାଧ୍ୟାୟ, ସମ୍ମାନୀତ ଅତିଥି ଭାବେ ଭାରତ ରକ୍ଷା ମଞ୍ଚର ସହ ସଂଯୋଜକ ମୂରଲୀ ଶର୍ମା, ବରିଷ୍ଠ ଆଇନଜୀବୀ ଅନଙ୍ଗ କୁମାର ସାହୁ, ପ୍ରଫେସର ଡାକ୍ତର ପ୍ରକାଶ ଚନ୍ଦ୍ର ସାହୁ, ଡାକ୍ତର ଅଂଶୁମାନ ବେହେରା, ସୂଚନା ଅଧିକାର କର୍ମୀ ରଞ୍ଜନ କମାର ଦାସ ପ୍ରମୁଖ ଯୋଗଦେଇ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ କାର୍ଯ୍ୟକଳାପ ଦେଶର ଆର୍ଥିକ, ଧାର୍ମିକ, ସାମାଜିକ ବ୍ୟବସ୍ଥାକୁ ପ୍ରଭାବିତ କରି ଦେଶ ପାଇଁ ରାଷ୍ଟ୍ରୀୟ ସମସ୍ୟା ଭାବେ ପରିଣତ ହେଲାନି ବୋଲି ବକ୍ତାମାନେ ଚିନ୍ତା ପ୍ରକଟ ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଛି । ଆଲୋଚନା ଚକ୍ରର ବ୍ୟବସ୍ଥାକୁ ବିନୋଦବିହାରୀ ଦାସ ପରିଚାଳନା କରିଥିଲେ । ଏହି ଆଲୋଚନା ଚକ୍ରରେ ଜିଲ୍ଳାର ଛାତ୍ର ଓ ବୁଦ୍ଧିଜୀବୀମାନେ ବହୁ ସଖ୍ୟାରେ ଉପସ୍ଥିତ ଥିଲେ ।

Friday, 21 September 2018

ଜାଲ ନୋଟ୍‍ କାରବାର ଚେର ଭଦ୍ରକରୁ ବାଂଲାଦେଶ ଯାଏ ଲମ୍ବ


ରାଜନଗର,୨୧ା୯  ; ରାଜନଗର ବ୍ଲକରେ ନକଲି ନୋଟର ଚୋରା ଚାଲାଣ ନେଇ ପୂର୍ବରୁ ଖବର ପ୍ରକାଶ ପାଇ ଆସୁଥିଲା । ଯାହା ଏବେ ସତ୍ୟରେ ପରିଣତ ହୋଇଛି । ଗୁରୁବାର ସେକ ରବିନ ହୁସେନ ନାମକ ଯୁବକ ନକଲି ନୋଟ ସହ ରାଜନଗର ବଜାରରେ ଧରା ପଡିବା ପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତା ବିରୁଦ୍ଧରେ ମାମଲା ରୁଜୁକରି ପୋଲିସ ତାକୁ ଶୁକ୍ରବାର କୋର୍ଟ ଚାଲାଣ କରିଛି । ରବିନ ଧରା ପଡିବା ପରେ ଜାଲନୋଟ ଖୋଳତାଡ ଆରମ୍ଭ କରିବା ଘଟଣାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି । ଏହି ଜାଲନୋଟ କାରବାର ଦୀର୍ଘଦିନ ହେବ ଚାଲିଥିଲେ ମଧ୍ୟ ପ୍ରଶାସନ ନିକଟରେ ଖବର ନଥିଲା ନାଁ ଜାଣି ନୀରବ ରହୁଥିଲା, ଯାହାକୁ ନେଇ ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ବ୍ଲକ ଡାଙ୍ଗମାଳ ପଂଚାୟତ ଶାରଦାପ୍ରସାଦ ଗ୍ରାମର ସେକ୍ଅବୁଲ ହୁସେନଙ୍କ ବଡପୁଅ ରବିନ୍ ହୁସେନ କୁକୁଡା ବ୍ୟବସାୟ କରେ । ରାଜନଗର ବଜାରରେ ଗୁରୁବାର ତାଠାରୁ ଦୁଇଟି ୨ଶହ ଟଙ୍କିଆ ଓ ଗୋଟିଏ ୫ଶହ ଟଙ୍କିଆ ଜାଲ ନୋଟ ଜବତ ହୋଇଥିବା ବେଳେ ବ୍ଲକ ଛକରେ ଥିବା ନିଗମ ମେଡିସିନ୍ ଷ୍ଟୋରରେ ଗୋଟିଏ ୨ଶହ ଟଙ୍କିଆ ଜାଲ ନୋଟ ଦେଇ ଔଷଧ କିଣି ଚାଲି ଯାଇଥିବା ବେଳେ ରବିନ୍କୁ ପୋଲିସ ଥାନାକୁ ନେବା ପରେ ମେଡିସିନ ଦୋକାନୀ ମଧ୍ୟ ଥାନାରେ ୨ଶହ ଟଙ୍କିଆ ନୋଟ ଦାଖଲ କରିଛି । ତାକୁ ପୋଲିସ ଜେରାବେଳେ କେବଳ ଭଦ୍ରକର ମହାନ୍ତିବାବୁ ବୋଲି ଜଣେ ଲୋକ ମୋଠାରୁ କୁକୁଡା ନେଇ ଏ ଟଙ୍କା ଦେଇଛି ବୋଲି କହିଛି । ୧୦ଦିନ ପୂର୍ବରୁ ରବିନ୍ କେତେ ନକଲି ନୋଟ ଆଣିଥିଲା ଏବଂ କେତେ ଟଙ୍କା କେଉଁଠି କାରବାର କରିଛି, ତାହା ଜାଣିବା ମୁସ୍କିଲ । ଏହି ନକଲି ନୋଟ କେବଳ ତା ନିକଟରେ ଅଛି ନାଁ ଅନ୍ୟ ମାନଙ୍କ ନିକଟରେ ଅଛି ଏବଂ କେଉଁମାନେ ଏହି ନକଲି ନୋଟ ର‌୍ୟାକେଟରେ ସଂପୃକ୍ତ ତାହା ଅନୁସନ୍ଧାନ ସାପେକ୍ଷ । ରାଜନଗର ଥାନା ଓ ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ସୁକାନ୍ତ କୁମାର ପାତ୍ରଙ୍କ କହିବାନୁଯାୟୀ ତାଙ୍କ ଘରକୁ ଯାଇ ତଦନ୍ତ କରି ଫେରିଛନ୍ତି । ତଦନ୍ତ ସମୟରେ ତା ଘରୁ କିଛି ପାଇନଥିବା କହିଛନ୍ତି । ଅପରଫକ୍ଷରେ ରବିନର ମାଆ ପୋଲିସକୁ ଦେଖି ଅଚେତ ହୋଇଯାଇଥିଲା । କିନ୍ତୁ ତାଙ୍କର କିଛି ପଡୋଶୀଙ୍କ କହିବା କଥା ବହୁ ଅଚିହ୍ନା ଅଜଣା ଲୋକ ଅନେକ ସମୟରେ ତାଙ୍କ ଘରକୁ ଯିବାଆସିବା କରିଥାନ୍ତି । ତାଙ୍କ ପିତା ମୁର୍ସିଦାବାଦର ମୂଳ ବାସିନ୍ଦା ବୋଲି ଜଣାପଡିଛି । ଏହି ନକଲି ନୋଟ କାରବାର ଚେର କେବଳ ଭଦ୍ରକ ନୁହେଁ ବାଙ୍ଗଲାଦେଶ ଯାଏ ଲମ୍ବିଥିବା ଅଭିଯୋଗ ହେଉଛି । ପୋଲିସ ରବିନକୁ କୋର୍ଟରୁ ରିମାଣ୍ଡରେ ଆଣି ତାକୁ ପଚରାଉଚରା କରିବ ବୋଲି ଜଣାପଡିଛି । ମାତ୍ର ତା ନିକଟରୁ କେତେ ତଥ୍ୟ ବାହାର କରିବ ତାହା ସମୟ କହିବ । ତାଳଚୁଆ ସାମୁଦ୍ରିକ ଥାନା ଅଂଚଳ ବଙ୍ଗୋଭାଷୀ ଅଧୁଷିତ ହୋଇଥିବାରୁ ଭାରତୀୟ ଓ ବାଙ୍ଗଲାଦେଶୀଙ୍କୁ ଚିହ୍ନିବା କଷ୍ଟକର ହେଉଛି । ଏହାର ସୁଯୋଗ ନେଇ ବାଙ୍ଗଲାଦେଶୀମାନେ ଏହି ଅଂଚଳରେ ନକଲି ନୋଟ କାରବାର, ବିଭିନ୍ନ ବନ୍ୟଜନ୍ତୁଙ୍କ ଶୀକାର ଓ ଚୋରା ଚାଲାଣରେ ପ୍ରମୁଖ ଭୂମିକା ରହିଛି ବୋଲି ଅଭିଯୋଗ ହେଉଛି । ତାଳଚୁଆ ଅଂଚଳରେ ଏଭଳି ବେଆଇନ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଲକ୍ଷ୍ୟକରି ତାଳଚୁଆରେ ଫାଣ୍ଡି ପ୍ରତିଷ୍ଠା କରାଯାଇଥିଲା । ୨୦୧୪ମସିହାରୁ ଫାଣ୍ଡିକୁ ସାମୁଦ୍ରିକ ଥାନାରେ ପରିଣତ କରାଯାଇଛି । ବେଳ ଥାଉଁଥାଉଁ ପ୍ରଶାସନ ଏଦିଗରେ ସଚେତନ ନହେଲେ ନେଡିଗୁଡ କହୁଣୀକୁ ବୋହିଯିବ ।